Saturday, April 24, 2010

ତୁମେ

ତୁମେ
ତୁମ ସୃଷ୍ଟ ପୁଷ୍ପର ସୌରଭ,
କି ମହକ ପ୍ରଭୁ!
ତା’ରି ତୁଳେ ମୁହିଁ ଖୋଜେ ତୁମ ଗନ୍ଧମାଳ |

ତୁମ ସୃଷ୍ଟ ଆକାଶ ସୁନୀଳ,
କି ସୁନ୍ଦର ପ୍ରଭୁ!
ଠିକଣା ଦେଇଯାଏ ତୁମରି ରୂପର |

କୋକିଳ ଟି ତୁମ ହାତ ଗଢା,
କି ମଧୁର ସୁର!
ସେହିରାବେ ଅନୁଭବେ ତୁମ ମଧୁସ୍ଵର |

ରକ୍ତିମ ବୀରବହୁବାଟୀ,
ତୁମ କୃତ କଳା,
କି କୋମଳ ପ୍ରଭୁ!
ସ୍ପର୍ଶ ଦିଏ ତୁମରି ତ୍ଵଚାର |

ପୁଷ୍ପବୁକେ ରସର ସମ୍ଭାର,
କି ମଧୁର ପ୍ରଭୁ!
ତୁମ ରସର ଏକି ଚମତ୍କାର |

ତୁମ ସୃଷ୍ଟି,
ସଦା ପାଇଁ ସତ୍ୟ ଶିବ ସବୁଠୁ ସୁନ୍ଦର |
ଆଉ ତୁମେ?
ଆଉ ମୁଁ?
ସତ୍ୟର ବହୁ ଦୂରେ,
ସ୍ଵାର୍ଥର ଦୈନିକ ସାଧନା,
ତୁମ ବିଳଠାରୁ ଦୂର ଯିବାର ଆକାଂକ୍ଷା ଅନନ୍ତ!!

ମୁଁ କ’ଣ ତୁମ ସୃଷ୍ଟି ନୁହେଁ?
ସମସ୍ତେ ତୁମର! ଆଉ ମୁଁ ଏକା ପର?
ତୁମ ସତ୍ୟ, ତୁମ ଧର୍ମ,
ମୋ ଠାରୁ ଦୂର!
ତୁମ ବାହୁର ଆଶ୍ଵାସନା, ସୃଷ୍ଟିର ଆଧାର|
ଏହା କ’ଣ ମୋ ପାଇଁ ନୁହେଁ !

ମୋ ସ୍ଵପ୍ନ

ମୋ ସ୍ଵପ୍ନ
ସୃଷ୍ଟି ର ସବୁଜିମା ପାଇଁ,
ପବନରେ ମଧୁବାସ ,
ଜଳଧାରାର ପବିତ୍ରତା ,
ଆକାଶର ନୀଳିମାର ସ୍ଥାଇତ୍ଵ,
ମାଁ ମାଟିର ନିର୍ମଳତା ପାଇଁ ||


ମୋ ସ୍ଵପ୍ନ,
ତରୁବର କୋଳେ,
କଳିକାରେ  ମୁଖରିତ ଚୀର ବାସ,
ଫଳର ଆସରା,
ହରିତ ପତ୍ର ମେଳେପ୍ରକୃତିର ସ୍ମିତ ହାସ୍ୟ ପାଇଁ ||


ଜାଂଗମର ଚଂଚଳତା ପାଇଁ,
ବିହଂଗର ସ୍ଵତଂତ୍ରତାର ରାବ,
କୋଇଲିର ମଧୁତାନ,
ପାରାଦଳର ଚାରା  ମେଳି,
ମୟୁର ଚନ୍ଦ୍ରିକା ସଜା,
ଧରାଧାମେ ଜୀବନର ଜୀବରକ୍ଷା ପାଇଁ,
ବତ୍ସାର ବାତ୍ସଲ୍ୟ ରକ୍ଷା,
ଗୋଧୁଳିର ଅପେକ୍ଷା,
ହରିଣର ଆହଟ,
ପ୍ରକୃତିର ଶ୍ରୀମୁଖରେ ହସର ପ୍ରତିଷ୍ଠାନ ପାଇଁ ||


ମୋ ସ୍ଵପ୍ନ,
ଶିକ୍ଷା ଓ ଶିକ୍ଷକତା ପାଇଁ,
ପ୍ରଜ୍ଞାନ ବ୍ରହ୍ମର ଆରାଧନା ,
ଅଜ୍ଞାନର ସମାପିକା,
ଜ୍ଞାନର ଯଜ୍ଞରେ ଅଜ୍ଞାନର ପୂର୍ଣାହୁତି,
ଶିକ୍ଷାର ବିଭୂତିରେ ହସଭରା ଦୁନିଆଟେ ପାଇଁ ||


ଶିଶୁ ଭାରତୀର ମାନସ ମନ୍ଦିରେ,
ମାଁ ଭାରତିର ରୂପ ସ୍ଥିତି ,
ଦେଶ ପ୍ରେମର ବାରି,
ଯୁବତନେ ସିଂଚନ ପାଇଁ,
ମାନବତାର ମୂଳ୍ୟବୋଧ ପାଇଁ ||
ଆଜାଦ ହିନ୍ଦର ଶବ୍ଦର ପୁନର୍ବାର ପ୍ରତିଧ୍ଵନି,
ଗାନ୍ଧିର ବାଣୀର ସାର୍ଥକତା,
ବୁଦ୍ଧର ସାଧନାର ଶକ୍ତିର ପୁନର୍ସଂଚାର ପାଇଁ,
ଶତାବ୍ଦିର ହାହାକାରଭୁତସଂଧ୍ୟାରେ ସତ୍ୟଧର୍ମଚନ୍ଦ୍ରମାଁ ରେଣୁଁ ବୃଷ୍ଟି ପାଇଁ ||
ବସୁଧୈବ କୁଟୁମ୍ବକମ୍ ର ପୁନର୍ବାର ମନ୍ତ୍ରପାଠ,
ଧରାରେ ମାନବର ସୁଖସ୍ଥିତି ପାଇଁ ||